ଯାଜପୁରରେ ବନ୍ୟା ବିତ୍ପାତ,ବଢ଼ୁଛି ବିପନ୍ନଙ୍କ ଦୁର୍ଦ୍ଧଶା

Your paragraph text - 1
ଯାଜପୁର : ଯାଜପୁର ଜିଲ୍ଲା ର ବୈତରଣୀ ନଦୀ ଏବଂ ଏହାର ଶାଖା କାଣୀ ନଦୀରେ ଆସିଥିବା ବନ୍ୟା ଯୋଗୁଁ ଦଶରଥପୁର ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଅହିୟାସ ପଂଚାୟତ ଦରଘା ଠାରେ ସୃଷ୍ଟି ହୋଇଥିବା ୧୦୦ ଫୁଟ ଘାଇ ଯୋଗୁଁ ୨୦ରୁ ଉର୍ଦ୍ଧ ମୁସଲିମ ପରିବାର ସଂପୁର୍ଣ୍ଣ ବାସ ହୀନ ହୋଇପଡିଛନ୍ତି। ଆଜି ବି ଘାଈ ମୁହଁରେ ୫ ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଇଥିବାରୁ ସେହି ଅଂଚଳକୁ ଯାଇପାରୁନାହାଁନ୍ତି ଲୋକେ। ଘର ଦ୍ବାର ଛାଡି ଯିଏ ଯୁଆଡେ ଧାଇଁ ଆଶ୍ରୟ ନେଇଥିବା ପରିବାର ଲୋକେ ନିଜ ଘରକୁ ଖୋଜି ପାଉନାହାଁନ୍ତି। ଅନେକ ଘର ସଂପୁର୍ଣ୍ଣ ପାଣିର ସ୍ରୋତରେ ଧ୍ବଂସ ପାଇଯାଇଥିବା ବେଳେ ,ମଟର ସାଇକେଲ,ଫ୍ରିଜ ଠାରୁ ଆରମ୍ଭ କରି ଅନେକ ଆସବାବ ପତ୍ର ମାଟି ତଳେ ପୋତି ହୋଇଥିବା ଦେଖିବାକୁ ମିଳିଛି।

ଉଦ୍ଧାର କରିବା ପାଇଁ ସୁଯୋଗ ମଧ୍ୟ ନାହିଁ। ଆଜି ବି ଅନେକ ପରିବାର ଭୋକ ଉପାସରେ ଛାତ ଉପରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ସେଦିନ ବିଳମ୍ବିତ ରାତ୍ରୀରେ ଶୋଇଥିବା ବେଳେ ହଠାତ୍ ପାଣି ମାଡି ଆସିଲା,ଆମେ ଚୁଆ ପିଲା ଛାଡି ଯିଏ ଯୁଆଡେ ଧାଇଁଲୁ,ଆଜି ବି ନିଜ ଘର ଖୋଜି ପାଉନାହୁଁ ବୋଲି କୋହ ଭରା କଣ୍ଠରେ ବନ୍ୟା ବିପନ୍ନ ଜୁଗୁନି ବିବି କହିଥିଲେ। କେବଳ ଜୁଗୁନି ନୁହେଁ ସ୍ଥାନୀୟ ଅଂଚଳର ସମସ୍ତ ମୁସଲିମ ବସ୍ତି ଏହି ବନ୍ୟା ଦ୍ବାରା କ୍ଷତିଗସ୍ତ ହୋଇଥିବା ବେଳେ ସରକାର ଙ୍କ ତରଫରୁ କେଇ ମୁଠା ଚୁଡା ଓ ବିସ୍କୁଟ ଆମ ମାନଙ୍କ କଷ୍ଟକୁ ଲାଘବ କରିପାରିବ ବୋଲି ବିପନ୍ନ ମାନେ ପ୍ରଶ୍ନ କରିଛନ୍ତି। ତେଣୁ ବନ୍ୟା ପ୍ରଭାବିତ ଅଂଚଳରେ ତୁରନ୍ତ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ପ୍ରତ୍ୟେକ ପରିବାରକୁ ଉଚିତ କ୍ଷତିପୁରଣ ପ୍ରଦାନ କରିବାକୁ ବନ୍ୟା ବିପନ୍ନ ମାନେ ଦାବୀ କରିଛନ୍ତି।

ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ
ଦଶରଥପୁର ବ୍ଲକ ଅନ୍ତର୍ଗତ ଅହିୟାସ ପଞ୍ଚାୟତରେ ଏକ ଘାଇ ସୃଷ୍ଟି ହୋଇ ୨୦ ଟି ପଞ୍ଚାୟତ ଜଳବନ୍ଦୀ ହୋଇଅଛି। ଦଶରଥପୁର ବ୍ଲକର କଷପା, ମଲିକାପୁର, ତରପଦା, ସୁଶୁଆ, ଦୁଦୁରାଅଣ୍ଟା, ନିଜାମପୁର, ଦତ୍ତପୁର, କୟାଁ, କମରଡିହ, ଖାନନଗର, ଛଚିଣା, ମଙ୍ଗଳପୁର, ଯୟନ୍ତରା, କଟିକଟା ପଞ୍ଚାୟତ ବନ୍ୟାଜଳରେ ପ୍ରଭାବିତ ହୋଇଛନ୍ତି। ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ଶିବାନନ୍ଦ ସ୍ୱାଇଁ ବନ୍ୟାଞ୍ଚଳ ଗସ୍ତ କରି ରିଲିଫ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି।ଆଜି ଅପରାହ୍ନ ୫.୦୦ ଘଟିକା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଓ ଦଶରଥପୁର ବ୍ଲକର ୨୧ ଟି ପଞ୍ଚାୟତର ୧୮୪୩୩ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ୯୬୪୬ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି।ଆଜି ୩୨ଟି ରିଲିଫ ସେଣ୍ଟର୍ ରେ ପ୍ରଭାବିତ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ବନ୍ୟା ଅଞ୍ଚଳରେ ୧୫୦ କ୍ୱିଣ୍ଟାଲ୍ ଚୁଡ଼ା ଓ ୧୫ କ୍ୱିଣ୍ଟାଲ୍ ଗୁଡ଼ ବଣ୍ଟନ କରାଯାଇଛି।

ଆମ୍ବୁଲାନ୍ସ ସହିତ ୦୪ ଟି ମେଡିକାଲ ଟିମ୍ ଓ ୧୦ ଟି ଭେଟେରୀନାରୀ ଟିମ୍ ନିୟୋଜିତ ହୋଇଛନ୍ତି। ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ୦୨ ଟି ଓଡରାଫ ଓ ୦୩ ଟି ଅଗ୍ନିଶମ ଦଳ ନିୟୋଜିତ ହୋଇଛନ୍ତି। ବନ୍ୟାଂଚଳରେ ୩୬୨୫ ଟି ଓ଼ଆରଏସ, ୧୨୪୦୦ ହାଲୋଜିନ ବଟିକା ବଣ୍ଟନ କରାଯାଇଛି। ୨୦୭ ଟି କୂଅ ମଧ୍ୟରୁ ୧୦୨ ଟି କୂଅ ପାଣି କୁ ବିଶୁଧିକରଣ କରାଯାଇଛି। ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ଦ୍ୱାରା ୪ଟି ବ୍ଲକର ୧୩୬ ଟି ଗ୍ରାମ ର ୩୮୩୫ ହେକଟର ଚାଷ ଜମି ବନ୍ୟା ପାଣି ରେ ବୁଡ଼ିଯାଇଛି। ସେହିପରି ୨୩୭୬୪ ଗୋରୁଗାଇ ପ୍ରଭାବିତ ହୋଇଛନ୍ତି।ମଲିକାପୁର ଗ୍ରାମର ମଦନ ମୋହନ ରଣା, ପିତା: ସ୍ବର୍ଗତ ମନ୍ମଥ ରଣା, ବୟସ: ୨୦ ସ୍ନାନ କରୁଥିବା ସମୟରେ ବନ୍ୟା ଜଳରେ ବୁଡ଼ିଯାଇ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତ ଶରୀରକୁ ଓଡ୍ରାଫ ଟିମ୍ ଦ୍ଵାରା ଉଦ୍ଧାର କରାଯାଇଛି।
