ଯାଜପୁରର ସାହିତ୍ୟିକ ରବି ଶତପଥୀ କ୍ୟୁବା ରାଷ୍ଟ୍ରଦୂତଙ୍କ ଦ୍ୱାରା ସମ୍ମାନିତ

0
rabi sir

ଯାଜପୁର:ଇତିହାସ ପୃଷ୍ଠାର ମହାନ ବିପ୍ଲବୀ, ଏକଛତ୍ରବାଦୀ ଶାସନରୁ କ୍ୟୁବାକୁ ମୁକ୍ତ କରିଥିବା ଫିଡ଼େଲ କାଷ୍ଟ୍ରୋଙ୍କ ଜନ୍ମ ଶତବାର୍ଷିକୀ ସମାରୋହ କଟକର ଭାରତୀୟ ସାଂସ୍କୃତିକ ସହଯୋଗ ମୈତ୍ରୀ ସମିତି (ଇସକଫ୍‌) ଓଡ଼ିଶାର ବିଶିଷ୍ଟ ବର୍ଷୀୟାନ ଶିକ୍ଷକ ନେତା ବିବେକାନନ୍ଦ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅବସରରେ ଇସକଫ୍ ଜାତୀୟ ସାଧାରଣ ସଂପାଦକ ବିଜୟ କୁମାର ପଢିଆରୀଙ୍କ ଓଡ଼ିଆ ଭାଷାରେ ଲିଖିତ ‘ଫିଡ଼େଲ କାଷ୍ଟ୍ରୋ’ ପୁସ୍ତକ ଭାରତରେ ଅବସ୍ଥାପିତ କ୍ୟୁବାର ରାଷ୍ଟ୍ରଦୂତ ଜୁଆନ କାର୍ଲୋସ ମାରର୍ସନଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଉକ୍ତ ସମାରୋହରେ ଯାଜପୁରର ବିଶିଷ୍ଟ ସାହିତ୍ୟିକ, ଅବସରପ୍ରାପ୍ତ ଶିକ୍ଷକ ନେତା ରବି ଶତପଥୀଙ୍କୁ ତାଙ୍କର ସ୍ପେନିଶ୍ କବି ପାବ୍ଲୋ ନେରୁଦା ଏବଂ ଅନ୍ୟତମ ଶ୍ରେଷ୍ଠ ବିପ୍ଲବୀ ‘ଚେ ଗୁଏଭାରା’ଙ୍କ ବିପ୍ଳବାତ୍ମକ – ଜୀବନ ଧର୍ମୀ କବିତାର ଓଡ଼ିଆ ଅନୁବାଦ ନିମିତ୍ତ ‘ଫିଡ଼େଲ କାଷ୍ଟ୍ରୋ ଜନ୍ମ ଶତବାର୍ଷିକୀ ସମ୍ମାନ’ କ୍ୟୁବା ରାଷ୍ଟ୍ରଦୂତ ଏବଂ ରାଷ୍ଟ୍ରଦୂତ କାର୍ଯ୍ୟାଳୟର ପ୍ରଥମ ସଚିବ ମାଇକ୍ ଦିଆଜ ପେରେଜଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା ।

ଶତବାର୍ଷିକୀ ସମାରୋହରେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ଶଶୀ ଭୂଷଣ ବେହେରା, ପ୍ରଫେସର ଖାରବେଳ ମହାନ୍ତି, ବିଶିଷ୍ଟ ବାମପନ୍ଥୀ ନେତା ଡ. ପ୍ରଶାନ୍ତ କୁମାର ମିଶ୍ର, ରବି ନାରାୟଣ ମଲ୍ଲିକ ଉପସ୍ଥିତ ଥିଲେ ।
ସମ୍ବର୍ଦ୍ଧିତ ଶ୍ରୀ ଶତପଥୀ କେତେକ ଇତିହାସ ପୁସ୍ତକ, ଅନୁବାଦ ସାହିତ୍ୟ, ବିରଜାକ୍ଷେତ୍ରର ଇତିହାସ ରଚନା କରିବା ସହ ହିନ୍ଦୀ ଭାଷାରେ ‘ଭାଷା କିରଣ’ ନାମରେ ଏକ ପତ୍ରିକା ବିଗତ ୧୦ବର୍ଷ ହେଲା ପ୍ରକାଶିତ କରି ଦେଶର ପାଞ୍ଚଶହ ଅନୁଷ୍ଠାନ, ବ୍ୟକ୍ତିବିଶେଷ ତଥା ଭାରତ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟକୁ ପ୍ରେରଣ କରୁଛନ୍ତି । ରାଜ୍ୟ ତଥା ଦେଶର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ମାନଙ୍କ ଦ୍ୱାରା ଶ୍ରୀ ଶତପଥୀ ସମ୍ମାନିତ ହୋଇ ଆସିଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page