ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାଫଳ, ଯାଜପୁର ରେ ସୁଧାଂଶୁ ତୃତୀୟ

ଯାଜପୁର (ସଙ୍କେତ ଖବର): ଚଳିତବର୍ଷ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଯାଜପୁର ଜିଲ୍ଲାର ପରୀକ୍ଷାଫଳ ଉଚ୍ଚକୋଟୀର ହୋଇଛି । ଏହି ଜିଲ୍ଲାରେ ୪୪୩ଟି ହାଇସ୍କୁଲରୁ ୨୫, ୩୮୯ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୨ ଜଣ ଏ-୧ ଓ ୧୫୨୭ ଜଣ ଏ-୨ରେ ଉତୀର୍ଣ୍ଣ ହୋଇଛନ୍ତି । ଯାଜପୁର ଶିକ୍ଷା ଜିଲ୍ଲା କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ସ୍କୁଲର ଛାତ୍ର ମନୀଷ କୁମାର ସେନାପତି ସର୍ବାଧିକ ୫୭୭ନମ୍ବର ରଖି ସମଗ୍ର ଜିଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଯଖପୁରା ହାଇସ୍କୁଲର ଦେବସ୍ମିତା ବ୍ରହ୍ମ ୫୭୩ ନମ୍ବର ରଖି ଦ୍ୱିତୀୟ, ଯାଜପୁର ବ୍ଲକ୍ ବଡ଼ସୁଆର ଜଗବନ୍ଧୁ ହାଇସ୍କୁଲର ସୁଧାଂଶୁ ଶେଖର ସାହୁ ଓ ଜିଲ୍ଲା ସ୍କୁଲର ଦେବଦତ ଦାସ ସମାନ ୫୬୫ ନମ୍ବର ରଖି ଯୁଗ୍ମଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବଡ଼ସୁଆରର ସୁଧାଂଶୁ ଚଳିତବର୍ଷ ନିଜ ମା’ ଓ ବଡ଼ ଭାଇଙ୍କୁ ହରାଇ ଦୁଃଖରେ ଥିଲାବେଳେ ଗରିବ ପିତା କ୍ଷୀରୋଦ ସାହୁ କଠିନ ପରିଶ୍ରମ କରି ତାଙ୍କୁ ପଢ଼ାଇଥିଲେ । ବଡ଼ ହେଲେ ଜଣେ ସଂସ୍କୃତ ବିଭାଗର ଅଧ୍ୟାପକ ହେବେ ବୋଲି ସୁଧାଂଶୁ କହିଛନ୍ତି । ଏହି ସଫଳତା ଲାଗି ସେ ତାଙ୍କ ପିତା, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି । ବଡ଼ ସୁଆର ଜଗବନ୍ଧୁ ହାଇସ୍କୁଲରୁ ଏଥର ୪୨ଜଣ ପରୀକ୍ଷା ଦେଇ ସମସ୍ତେ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଏ-୧, ୩ଜଣ ଏ-୨, ବି-୧ରେ ୫ଜଣ ଓ ବି-୨ ଗ୍ରେଡ୍ରେ ୧୩ଜଣ (୨୨ଜଣ ପ୍ରଥମ ଶ୍ରେଣୀରେ) ଉତୀର୍ଣ୍ଣ ହୋଇଛନ୍ତି ।
ସ୍କୁଲର ଏହି ସଫଳତା ଲାଗି ଏବିଇଓ ନିର୍ମଳଚନ୍ଦ୍ର ଜେନା, ସିଆରସିସି ପ୍ରଭାତ ଦାଶ, ଓସ୍ତା ପକ୍ଷରୁ ସନ୍ତୋଷ ବିଶ୍ୱାଳ, ସ୍ଥାନୀୟ ବଡ଼ସୁଆର ପଂଚାୟତ ସରପଂଚ ସତ୍ୟଜିତ ପରିଡ଼ା, ସମିତି ସଭ୍ୟ ଅମୀୟ କୁମାର ପରିଡ଼ା, ପରିଚାଳନା ସମିତି ସଭ୍ୟ ବିଦ୍ୟାଧର ସାହୁ, ବିଭୁତିଭୂଷଣ ଦାସ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି । ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ବନଲତା ଭୂୟାଁ, ବରିଷ୍ଠ ଶିକ୍ଷକ ବୃନ୍ଦାବନ ପାହିଲ, ମନୋଜ ସାମଲ, ରମାମଣି ମିଶ୍ର, ଦେବକାନ୍ତ ଧଳ, ନିହାରିକା ପ୍ରଧାନ, ମୁରଲିଧର ଦାସ, ମଞ୍ଜୁଲତା ବେହୁରିଆ ପ୍ରମୁଖ ସମସ୍ତ ଛାତ୍ରଛାତୀଙ୍କୁ ଶୁଭେଛା ଜଣାଇଛନ୍ତି ।