ଜିନ୍ଦଲ୍ ଷ୍ଟେନ୍ଲେସ ଫାଉଣ୍ଡେସନ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ

କଳିଙ୍ଗନଗର,(ସଙ୍କେତ ବ୍ୟୁରୋ) ଜିନ୍ଦଲ୍ ଷ୍ଟେନ୍ଲେସ୍ ଲିମିଟେଡ ର ସିଏସ୍ଆର୍ ବିଭାଗ ଜିନ୍ଦଲ୍ ଷ୍ଟେନ୍ଲେସ୍ ଫାଉଣ୍ଡେସନ ତରଫରୁ ଗତକାଲି ଧୂଳିଗଡ଼ ଏବଂ ତ୍ରିଜଙ୍ଗା ଠାରେ ବୃକ୍ଷ ଏବଂ ମଞ୍ଜି ଗୋଲା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । କଂପାନୀର କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଏହି ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ୫୫ ଜଣ କର୍ମଚାରୀ ମାନଙ୍କୁ ନେଇ ମଞ୍ଜି ଗୋଲା ତିଆରି କରାଯାଇ ଥିବା ବେଳେ ପରିବେଶ ସମ୍ବନ୍ଧୀୟ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ, ଧୂଳିଗଡ଼ ଏବଂ ତ୍ରିଜଙ୍ଗା ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାବୃନ୍ଦ, ତ୍ରିଜଙ୍ଗା ଗ୍ରାମ ପଞ୍ଚାୟତର ସରପଞ୍ଚ କାଗେଜୀ ପାତ୍ର, ଧୂଳିଗଡ଼ ଗ୍ରାମ ପଞ୍ଚାୟତର ସରପଞ୍ଚ ମାନସ ରଣା, ଦାନଗଦି ପଞ୍ଚାୟତ ସମିତି ଆର୍ ଡବ୍ଲୁଏସ୍ଏସ୍ ର ସଂଯୋଜକ ଦିପ୍ତି କୁମାର ମଲ୍ଲିକ୍, ତ୍ରିଜଙ୍ଗା, ଧୂଳିଗଡ ଗ୍ରାମ ପଞ୍ଚାୟତର ୱାର୍ଡମେମ୍ବର ଏବଂ ସମିତି ସଭ୍ୟ ପ୍ରମୁଖ ଯୋଗଦାନ କରି ମଞ୍ଜିଗୋଲା ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସର ରେ ଜିନ୍ଦଲ ର କାରଖାନା ମୁଖ୍ୟ ଶ୍ରୀଯୁକ୍ତ ଦୀପକ ଅଗ୍ରୱାଲ କହିଛନ୍ତି ଯେ “ଏକ ଦାୟିତ୍ୱବାନ ସଂଗଠନ ଭାବରେ, ଆମେ ବିଶ୍ୱାସ କରୁ ଯେ ସ୍ଥାୟୀ ଅଭିବୃଦ୍ଧି ପରିବେଶଗତ ପରିଚାଳନା ସହିତ ସମନ୍ୱୟରେ ଚାଲିଥାଏ। ଆମର ବୃକ୍ଷରୋପଣ ଅଭିଯାନ ଆମେ ସେବା କରୁଥିବା ସମ୍ପ୍ରଦାୟ ପାଇଁ ଏକ ସବୁଜ, ସୁସ୍ଥ ଭବିଷ୍ୟତ ସୃଷ୍ଟି କରିବା ଦିଗରେ ଏକ ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ” ।

ଏଠାରେ ସୂଚନା ଯୋଗ୍ୟ ଯେ ଜିନ୍ଦଲ୍ ଷ୍ଟେନ୍ଲେସ୍ ଫାଉଣ୍ଡେସନ ପରିବେଶକୁ ସବୁଜ ସୁନ୍ଦର ରଖିବା ପାଇଁ ବୃକ୍ଷରୋପଣକୁ ପ୍ରାଧାନ୍ୟ ପ୍ରଦାନ କରିଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ଗ୍ରାମର ବୃକ୍ଷରୋପଣ କରିଆସୁଅଛି। ଗତ ୨ ବର୍ଷ ମଧ୍ୟରେ ଏହା ବିଭିନ୍ନ ପଦକ୍ଷେପ ମାଧ୍ୟମରେ ୧ ଲକ୍ଷ ରୁ ଅଧିକ ବୃକ୍ଷ ରୋପଣ କରିଛି । ଏତଦ୍ ବ୍ୟତୀତ ପରିବେଶ ସମ୍ବନ୍ଧୀୟ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଗ୍ରାମ୍ୟ ଏବଂ ବିଦ୍ୟାଳୟ ସ୍ତରରେ ଆୟୋଜନ କରାଯାଉଅଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବର୍ଯ୍ୟବସ୍ତୁ ପରିଚାଳନା ପ୍ରକଳ୍ପ କାର୍ଯ୍ୟକାରୀ କରି ଦାନଗଦି ପଞ୍ଚାୟତ ସମିତି ଅଧିନସ୍ଥ ସୋଲେଇ, ସିଙ୍ଗାଗାଡ଼ିଆ, ଦାନଗଦି ପ୍ରଭୃତି ଗ୍ରାମଗୁଡ଼ିକ ବର୍ଯ୍ୟ ମୁକ୍ତ ଗ୍ରାମରେ ପରିଣତ କରିବାର ପ୍ରୟାସ ଜାରି ରହିଛି । ଏହି କାର୍ଯ୍ୟକ୍ରମ ଅଧିନରେ ସୋଲେଇ ଗ୍ରାମକୁ ଏକ ଆଦର୍ଶ ଗ୍ରାମରେ ପରିଣତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଯଥା ପୁରୁଣା ଅଳିଆ ଗଦା ସଫାକରି ସେହି ସ୍ଥାନରେ ବିଭିନ୍ନ ଶୋଭାବର୍ଦ୍ଧନକାରୀ ବୃକ୍ଷରୋପଣ, ଗ୍ରାମର ସମସ୍ତ ଅଧିବାସୀ ମାନଙ୍କୁ ଡଷ୍ଟବିନ୍ ପ୍ରଦାନ, ପୋଖରୀ ସଫେଇ ଓ ସୌନ୍ଦର୍ଯ୍ୟ କରଣ, ଗ୍ରାମ୍ୟ ମନ୍ଦିର ପରିସରରେ ବୃକ୍ଷରୋପଣ ଇତ୍ୟାଦି କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଅଛି । ଏହା ସହିତ ଗ୍ରାମରେ ବସବାସ କରୁଥିବା ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟା ମାନଙ୍କୁ ବର୍ଜ୍ୟ ବସ୍ତୁ ପରିଚାଳନା ଉପରେ ବିଭିନ୍ନ ପର୍ଯାୟରେ ସଚେତନତା କରିବାର କାର୍ଯ୍ୟକ୍ରମ କରାଯାଇ ଅଛି ।