ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ଆନ୍ଦୋଳନ ଓ ପ୍ରତିବାଦ

0
WhatsApp Image 2025-08-06 at 6.28.15 PM (1)

PROTEST BY SILPI MAHASANGHA

ଭୁବନେଶ୍ବର : ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ଏବଂ
ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦକୁ କାର୍ଯ୍ୟକାରୀ କରିବା ଦାବିରେ
ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ
ପୂର୍ବ ସରକାର ରାଜ୍ୟର ହସ୍ତଶିଳ୍ପୀ ଓ ବୁଣାକାରଙ୍କ ସାମାଜିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ଲାଗୁ କରିଥିଲେ । ଏହି ଯୋଜନା ଅଧୀନରେ ରାଜ୍ୟର ମାତ୍ର ୧୫୦୦ରୁ ପାଖାପାଖି ବରିଷ୍ଠ ବୁଣାକାର ମାସିକ ଦୁଇ ହଜାର ଟଙ୍କା ପାଉଛନ୍ତି । ହେଲେ ପରିତାପର ବିଷୟ ଏଯାବତ ଜଣେ ହେଲେବି ହସ୍ତଶିଳ୍ପୀ ଏହି ଯୋଜନାରୁ ଉପକୃତ ହୋଇନାହାନ୍ତି । ଯୋଜନାରେ କିନ୍ତୁ କଳାକାରଙ୍କ ଭଳି ୪୦ ବର୍ଷର ମହିଳା ଓ ୫୦ ବର୍ଷର ପୁରୁଷ ବୁଣାକାର ଏବଂ ହସ୍ତଶିଳ୍ପୀ ଏହି ଯୋଜନାର ଲାଭାର୍ଥୀ ହୋଇପାରିବେ ବୋଲି ସରକାରୀ ନିୟମ ରହିଛି ।


ଠିକ ସେହିଭଳି ଓଡିଶା ଶିଳ୍ପୀ ମହାସଂଘର ପ୍ରଗାଢ ଉଦ୍ୟମ ବଳରେ ଗଠିତ ହୋଇଥିବା ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦର ପରିଚାଳନା ବୋର୍ଡ ରାଜ୍ୟ ସରକାର ଗଠନ କରୁନାହାନ୍ତି । ଖଣ୍ଡଗିରି ନିକଟରେ ପରିଷଦର କାର୍ଯ୍ୟାଳୟ ରହିଥିବାବେଳେ ବୋର୍ଡ ଗଠନ ହୋଇନଥିବାରୁ ପରିଷଦ ବର୍ଷେ ହେବ ନିଷ୍କ୍ରିୟ ହୋଇ ପଡିରହିଛି । ଇତି ମଧ୍ୟରେ ନୂତନ ସରକାରକୁ ବର୍ଷେ ପୁରି ସାରିଥିବାବେଳେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ନିଦାବିଷ୍ଣୁ ସାଜିଛି । ଓଡିଶା ଶିଳ୍ପୀ ମହାସଂଘର ବାରଂବାର ଦାବୀ ସତ୍ୱେ ରାଜ୍ୟ ସରକାର ଆଦୈା କର୍ଣ୍ଣପାତ କରୁ ନାହାନ୍ତି । ରାଜ୍ୟର ହସ୍ତଶିଳ୍ପୀ ଓ ବୁଣାକାରଙ୍କ ପ୍ରତି ଅବିଚାର ପ୍ରତିିବାଦରେ କାରିଗର ବହୁଳ ସମସ୍ତ ଜିଲ୍ଲାରେ ଆନ୍ଦୋଳନ ଗଢି ତୋଳିବାକୁ ଓଡିଶା ଶିଳ୍ପୀ ମହାସଂଘ ନିଷ୍ପତି ନେଇଛି । ଏହି କ୍ରମରେ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ଓ ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦକୁ କାର୍ଯ୍ୟକାରୀ କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଆଜି ଯାଜପୁର ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।
ଆମ ରାଜ୍ୟର ଯେତେ ପ୍ରକାରର ହସ୍ତ ଓ ବୟନ କଳା, ସେତେ ପ୍ରକାରର ସମସ୍ୟା । ମହାସଂଘର ସ୍ମାରକ ପତ୍ରରେ ମାତ୍ର ଦୁଇଟି ଦାବୀ ରହିଛି । ଗୋଟିଏ ହେଲା ପୂର୍ବ ସରକାର ସମୟରୁ ଲାଗୁ କରା ଯାଇଥିବା ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ମାସିକ ଆର୍ଥିକ ସହାୟତା ଯୋଜନାର ନିୟମାନୁଯାୟୀ ଯୋଗ୍ୟ ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ଯଥାଶୀଘ୍ର ପ୍ରଦାନ କରିବା । ମାସିକ ସହାୟତା ରାଶିକୁ ଦୁଇ ହଜାରରୁ ବୃଦ୍ଧି କରି ପାଂଚ ହଜାର କରିବା । ତତସହିତ କାରିଗରୀ ବା ବୁଣା କାମରେ ନିୟୋଜିତ ପରିବାରର ସମସ୍ତ ସଦସ୍ୟଙ୍କୁ ଏହି ଯୋଜନାରେ ସାମିଲ କରାଯାଉ । ସୂଚନା ଥାଉକି, ଏହି ଯୋଜନାରେ କଳାକାରଙ୍କ ଭଳି ୪୦ ବର୍ଷରୁ ଉର୍ଦ୍ଧ ମହିଳା ଓ ୫୦ ବର୍ଷରୁ ଉର୍ଦ୍ଧ ପୁରୁଷ ବୁଣାକାର ଏବଂ କାରିଗରଙ୍କୁ ମାସିକ ମାତ୍ର ୨ହଜାର ଟଙ୍କା ମିଳିବାର ବ୍ୟବସ୍ଥା ରହିଛି ।


ସେହିଭଳି ୨୦୧୮ ମସିହା ମାର୍ଚ୍ଚ ୨୨ ତାରିଖରେ ଉଦଘାଟିତ ହୋଇଥିଲା ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦ । ଯାହାର କାର୍ଯ୍ୟାଳୟ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ନିକଟରେ ରହିଛି । ରାଜ୍ୟ ସରକାର ଓ କାରିଗର ଏବଂ ବୁଣାକାରଙ୍କ ମଧ୍ୟରେ ସଂପର୍କର ସେତୁ ଭାବେ କାର୍ଯ୍ୟ କରି ଆସୁଥିବା ଏହି ପରିଷଦର ପରିଚାଳନା ବୋର୍ଡ ଗଠନ କରାଯାଉନଥିବାରୁ ସଂପୂର୍ଣ୍ଣ ନିଷ୍କ୍ରିୟ ହୋଇ ପଡିଛି । ପରିଷଦର କାର୍ଯ୍ୟକାରୀ ବୋର୍ଡକୁ ପୁର୍ନଗଠନ ପୂର୍ବକ ଯଥାଶୀଘ୍ର କାର୍ଯ୍ୟକ୍ଷମ କରାଯାଉ । ସୁଚନା ଥାଉକି, ଏହି ପରିଷଦର ପରିଚାଳନା ବୋର୍ଡର ସଦସ୍ୟ ଭାବେ ରାଜ୍ୟର ବିଶିଷ୍ଟ ବୁଣାକାର ଓ କାରିଗର ରହିବେ ବୋଲି ବ୍ୟବସ୍ଥା ରହିଛି । ପୂର୍ବ ପାଳିରେ ନିପୁଣ ଶିଳ୍ପୀ /ବୁଣାକାରଙ୍କ ଦରମା ବୃଦ୍ଧି, ପ୍ରଶିକ୍ଷାର୍ଥୀଙ୍କ ଭତା ବୃଦ୍ଧି, ଦେଢଶହରୁ ଉର୍ଦ୍ଧ ହସ୍ତଶିଳ୍ପ ଗ୍ରାମ ବା ପୁଂଜର ଚିହ୍ନଟ ପାଇଁ ସାଇନ ବୋର୍ଡ ବ୍ୟବସ୍ଥା, ଶିଳ୍ପୀ ଓ ବୁଣାକାରଙ୍କ ପାଇଁ କର୍ମଶାଳା, ଉତ୍କଳିକା ମାଧ୍ୟମରେ ସାହାଣ ପଥର ଯୋଗାଣ ଓ ଖଣ୍ଡଗିରି ନିକଟରେ ପରିଷଦର କାର୍ଯ୍ୟାଳୟ ପ୍ରତିଷ୍ଠା ଆଦି ଅନେକ ନିଷ୍ପତି ନିଆଯାଇ ପାରିଥିଲା । ଦିନକୁ ଦିନ ରାଜ୍ୟ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ସମସ୍ୟା ବଢି ଚାଲିଥିବାରୁ , ଏହି ବିକାଶ ପରିଷଦ ସକ୍ରିୟ ହେବା ଅତ୍ୟନ୍ତ ଜରୁରୀ ଅଟେ ।
ଉତ୍କର୍ଷ କଳାର ରାଜ୍ୟ ଆମ ଓଡିଶା । କୃଷି ପରେ ଏକ ପ୍ରମୁଖ ସ୍ୱାବଲମ୍ବୀ କ୍ଷେତ୍ର ଭାବେ ଦଶ ଲକ୍ଷରୁ ଉର୍ଦ୍ଧ ଲୋକ ଏହି ହସ୍ତଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ରରେ ନିୟୋଜିତ ଅଛନ୍ତି । ଓଡିଶା ଅସ୍ମିତାର ପରିଚୟ ଆମ ଶିଳ୍ପୀ ଓ ବୁଣାକାର ଜାତି ଆମ ପାରଂପାରିକ କଳାକାରିଗରୀକୁ ବଂଚାଇ ଆସିବା ସହ ଆମ ରାଜ୍ୟକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି । ରାଜ୍ୟ ସରକାର କାରିଗର ଓ ବୁଣାକାରଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ସତ, ହେଲେ ଆନ୍ତରିକତା ଅଭାବରୁ ଏହି ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଁଚି ପାରୁନି । ପୂର୍ବ ସରକାର କରିଥିବା ଅନେକ ଯୋଜନା ଏବେର ସରକାର ଜାରି ରଖିଥିବାବେଳେ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ପ୍ରତି ବୈମାତୃକ ଭାବକୁ ଓଡିଶା ଶିଳ୍ପୀ ମହାସଂଘ ଦୃଢ ନିନ୍ଦା କରିଛି । ଏହା ରାଜ୍ୟର ଲକ୍ଷ ଲକ୍ଷ କାରିଗର ଓ ବୁଣାକାରଙ୍କ ମନରେ ତୀବ୍ର ଅସନ୍ତୋଷ ଭରି ଦେଇଛି । ଆଜିର ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାର ଶହଶହ କାରିଗର ଓ ବୁଣାକାର ସାମିଲ ହୋଇଥିବାବେଳେ ଶିଳ୍ପୀ ମହାସଂଘର ରାଜ୍ୟ ସଂପାଦକ ପ୍ରିୟରଂଜନ କର, କୋଷାଧ୍ୟକ୍ଷ ଅଶୋକ ଗୁଇଁ, ଯାଜପୁର ଜିଲ୍ଲା ସଭାପତି ପ୍ରଶାନ୍ତ ବେହେରା ଓ ଲକ୍ଷ୍ମୀଧର ଚାନ୍ଦ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page